ଭବାନୀପାଟନା: କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ । ଜିଲ୍ଲାର କଳା ,ସଂସ୍କୃତି ,ଐତିହ୍ୟ ଓ ବିକାଶ ଧାରାର ଲୋକ ମହୋତ୍ସବ 'ଘୁମୁରା ୨୦୨୫' ଆସନ୍ତା ୧୪ ତାରିଖଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ହେବ ।ଏହି ଉତ୍ସବକୁ ନେଇ ରାହାଗିରି ଉତ୍ସବର ଆୟୋଜନ କରିଛି ଜିଲ୍ଲା ପ୍ରଶାସନ ।

ଭବାନୀପାଟଣାରେ ରାହାଗିରି

ଭବାନୀପାଟଣା ସହରର ଜେଲ ଛକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାହାଗିରି ଉତ୍ସବ ଆୟୋଜନ କରାଯାଇଛି । ଅନୁଷ୍ଠିତ ରାହାଗିରି ଉତ୍ସବରେ ପତଞ୍ଜଳୀ ଯୋଗ ବିଦ୍ୟାଳୟ ପକ୍ଷରୁ ଯୋଗାଭ୍ୟାସ ପ୍ରଦର୍ଶିତ କରାଯାଇଥିବା ବେଳେ ଶାସ୍ତ୍ରୀ ଶିକ୍ଷା ନିକେତନ ସ୍କୁଲର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଡ୍ରମ ଡ୍ୟାନ୍ସ ପ୍ରଦର୍ଶିତ ହୋଇଥିଲା । ସେହିପରି କଳାହାଣ୍ଡି ଟାଇକୋଣ୍ଡ ଅନୁଷ୍ଠାନ ପକ୍ଷରୁ ଟାଇକୋଣ୍ଡୋ ଓ ମାର୍ଶାଲ ଆର୍ଟର ଅନେକ କୌଶଳ ପ୍ରଦର୍ଶିତ ହୋଇଥିଲା । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନର ମଧ୍ୟ ଆୟୋଜନ କରାଯାଇଥିଲା । ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଘୁମୁରା ନିର୍ମାଣର ଶୈଳୀକୁ ପ୍ରଦର୍ଶିତ କରାଯାଇଥିବା ବେଳେ ବାଲୁକା କଳାରେ ମହାକୁମ୍ଭ ମେଳାକୁ ନେଇ ଶୁଭେଛା ବାର୍ତ୍ତା ପ୍ରଦାନ କରାଯାଇଛି ।

'ଘୁମୁରା ୨୦୨୫' ପାଇଁ ରାହାଗିରି

ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ରଙ୍ଗାରଙ୍ଗ ନାଚଗୀତ ଅନୁଷ୍ଠିତ ହୋଇଥିଲା । ରାହାଗିରି ଉତ୍ସବରେ ସହରବାସୀ ସାମିଲ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଏନେଇ ଭବାନୀପାଟଣା ବାସିନ୍ଦା ମନିଷା ଦାସ କହିଛନ୍ତି, "କଳାହାଣ୍ଡି ଉତ୍ସବ ଉପଲକ୍ଷେ ରାହାଗିରି ଉତ୍ସବ ଅନୁଷ୍ଟିତ ହେଉଛି । ଏଥିରେ ଅନେକ ଛାତ୍ରଛାତ୍ରୀ ବିଭିନ୍ନ କଳା ପ୍ରଦର୍ଶନ କରିବା ସହିତ ଅନେକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି । ଯାହାକୁ ଦେଖି ବେଶ ଉତ୍ସାହ ଲାଗୁଛି ।"

୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବ କଳାହାଣ୍ଡି ଉତ୍ସବ

ସେପଟ ଏନେଇ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କହିଛନ୍ତି, " ଆମର କଳାହାଣ୍ଡି ଉତ୍ସବ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବ । ପ୍ରତିବର୍ଷ ରହାଗିରିରୁ ହିଁ ଆମର ସେଲିବ୍ରେଶନ ଆରମ୍ଭ ହୋଇଥାଏ । ଏଥିରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଛାତ୍ରଛାତ୍ରୀମାନଙ୍କୁ ସାମିଲ କରିବା ସହିତ କଳାକାର, ବିଭିନ୍ନ ଖେଳ କାର୍ଯ୍ୟକ୍ରମ ମଧ୍ଯ ଆୟୋଜନ ହୋଇଛି । ଚଳିତ ବର୍ଷ ରାହାଗିରି ଦୁଇଦିନ ଧରି ଚାଲିବ ।"

ଏହାମଧ୍ୟ ପଢନ୍ତୁ...

ପଥୋତ୍ସବରେ ଝୁମିଲା ରାଜଧାନୀ, ଦୁଲୁକିଲା କଳାଭୂମିରୁ ମଧୁସୂଦନ ପାର୍କ ରାସ୍ତା

ସଡକ ସୁରକ୍ଷା ସପ୍ତାହ ପାଳନ, ରାହାଗିରି ଓ ପଥପ୍ରାନ୍ତ ନାଟକ ଦ୍ଵାରା ସଚେତନତା ଅଭିଯାନ

ଏହି ଉତ୍ସବରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ୍ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ ।

ଇଟିଭି ଭାରତ, ଭବାନୀପାଟଣା