ଭବାନୀପାଟଣା: ଆଦିବାସୀଙ୍କ ଆସ୍ଥା ଓ ବିଶ୍ୱାସର ଦେବୀ ମା' ଡୋକରି । ପାର୍ବଣ ଋତୁର ଆଗମନରେ ପୁଲକିତ ହୋଇଉଠିଛି ଧରାପୃଷ୍ଠ । ପୁରପଲ୍ଲୀରେ ଚାଲିଛି ମା'ଙ୍କ ପୂଜାର୍ଚ୍ଚନା । କେଉଁଠି ମା'ଙ୍କୁ ଫୁଲ ପୁଷ୍ପରେ ପୂଜା କରାଯାଉଛି ତ ଆଉ କତେକ ସ୍ଥାନରେ ରକ୍ତ ମୁଖା ଦେବୀଙ୍କ ଆରାଧନା କରାଯାଉଛି । ଦଶହରାର ମହାଦଶମୀ ତିଥିରେ ମା'ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମା'ଙ୍କ ଛତର ଯାତ୍ରା ପାଇଁ ବିଭିନ୍ନ ପାରମ୍ପାରିକ ବାଦ୍ୟ ସହିତ ନୃତ୍ୟ ମଧ୍ୟ ପରିବେଶଣ କରାଯାଇଥିଲା । ଯାହା ପରିବେଶକୁ ଆହୁରି ଉତ୍ସବମୁଖର କରି ତୋଳିଥିଲା ।

ମା'ଙ୍କ ପ୍ରସିଦ୍ଧ ଛତରଯାତ୍ରା:

ଆଜି କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ବ୍ଲକ ସ୍ଥିତ ମା' ଡୋକରି ଦେବୀଙ୍କ ମନ୍ଦିରରେ ଗୁପ୍ତ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହାପରେ ମା'ଙ୍କ ବିଜୟ ପ୍ରତିମା ଛତର ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲେ।

ମା'ଙ୍କ ବିଜୟ ପ୍ରତିମାର ସହର ପରିକ୍ରମା:

ମା'ଙ୍କ ଏହି ପବିତ୍ର ଛତର ଯାତ୍ରାରେ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା । ମା'ଙ୍କ ବିଜୟ ପ୍ରତିମା ଛତର ସହର ପରିକ୍ରମା ପରେ ମନ୍ଦିରରେ ପହଞ୍ଚିଥିଲା । ପରେ ମନ୍ଦିରରେ ଜେନା ବଳି ପରେ ଗୁପ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା । ଏହା ପରେ ମନ୍ଦିରର ମୁଖ୍ୟ ଫାଟକ ବନ୍ଦ କରି ଦିଆଯାଇଥିଲା ।

ହଜାର ହଜାର ଭକ୍ତଙ୍କ ସମାଗମ:

ବୋର୍ଡ଼ା ଅଞ୍ଚଳର ଶ୍ରଦ୍ଧାଳୁ ସ୍ମୃତି ଶ୍ରେୟା ପ୍ରଧାନ କହିଛନ୍ତି, "ଆମର ଅଞ୍ଚଳର ଇଷ୍ଟଦେବୀ ହେଉଛନ୍ତି ମା' ଡୋକରୀ । ପ୍ରତ୍ୟେକ ବର୍ଷ ଏହି ସମୟରେ ମା'ଙ୍କ ଯାତ୍ରା ଅନୁଷ୍ଠିତ ହୁଏ। ହଜାର ହଜାର ଭକ୍ତ ଆସି ମା'ଙ୍କ ଯାତ୍ରାରେ ସାମିଲ ହୋଇଛନ୍ତି । ମା'ଙ୍କ ଉପରେ ସମସ୍ତଙ୍କ ଆସ୍ଥା ଓ ବିଶ୍ବାସ ରହିଛି ।"

ଏହା ମଧ୍ୟ ପଢନ୍ତୁ:

ସିନ୍ଦୂର ଖେଳି ଦହି ପଖାଳ ଖୁଆଇ, ଝିଅ ପରି ମା'ଙ୍କୁ ମେଲାଣି ଦେଲେ ଭକ୍ତ

ମହାଷ୍ଟମୀରେ କାହିଁକି ମହାମାୟାଙ୍କୁ କୁସ୍ମାଣ୍ଡ ବଳି ଦିଆଯାଏ ? ଜାଣନ୍ତି କି

ବିଜୟା ଦଶମୀ ଦିନ ହୁଏ ମା'ଙ୍କ ପ୍ରସିଦ୍ଧ ଯାତ୍ରା:

ଅନ୍ୟଜଣେ ଶ୍ରଦ୍ଧାଳୁ ବେଦବ୍ୟାସ ପ୍ରଧାନ କହିଛନ୍ତି, "ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସେ ସମୟର ଗନ୍ତିଆଙ୍କ ଦ୍ଵାରା ମା'ଙ୍କ ମନ୍ଦିର ନିର୍ମାଣ ହୋଇଥିଲା । ପରବର୍ତ୍ତୀ ସମୟରେ ଏଠାରେ ମା' ଡୋକରୀ ଦେବୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ବର୍ଷ ବିଜୟା ଦଶମୀ ଦିନ ମା'ଙ୍କ ଏହି ଯାତ୍ରା ଅନୁଷ୍ଠିତ ହୁଏ । ଆଜି ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ବିଭିନ୍ନ ଅଞ୍ଚଳରୁ କଳାକାର ମାନେ ମଧ୍ୟ ସାମିଲ୍ ହେଇଛନ୍ତି ।"

ଇଟିଭି ଭାରତ, କଳାହାଣ୍ଡି