Road Safety Awareness ବ୍ରହ୍ମପୁର: ଜାତୀୟ ସଡକ ସୁରକ୍ଷା ମାସରେ ସବୁଠି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚାଲିଛି । ଏହି ଅବସରରେ ଗୋପାଳପୁର ବେଳାଭୂମି ମହୋତ୍ସବ 2026ର ଏକ ଷ୍ଟଲରେ ଗଞ୍ଜାମ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ନିଆରା ଉପାୟରେ ସଡକ ସୁରକ୍ଷା ସଚେତନତା କରାଯାଉଛି । ରାଜ୍ୟରେ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ରୋକିବା ପାଇଁ ମୋଟର ସାଇକେଲ ଚଲାଇବା ସମୟରେ ହେଲମେଟ ପରିଧାନ କରିବାର କିପରି ଆବଶ୍ୟକତା ରହିଛି ତାହାକୁ ନେଇ ବେଳାଭୂମିର ୬୦ ନମ୍ୱର ଷ୍ଟଲରେ ଅଡିଓ ଭିଜୁଆଲ୍ ମାଧ୍ୟମରେ ସଚେତନତା କରାଯାଉଛି ।

ବିପଦପୂର୍ଣ୍ଣ ଭାବରେ ମୋଟର ସାଇକେଲ ଚଲାଇବା ସମୟରେ ହେଲମେଟ୍ ବ୍ୟବହାର ନକରି ଅନେକ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଫଳରେ ଅନେକ ଧନଜୀବନ ନଷ୍ଟ ହେବା ସହିତ ପରବର୍ତ୍ତୀ ସମୟର ସ୍ଥିତି କିପରି ରହିଥାଏ ତାହାକୁ ନେଇ ଏହି ଷ୍ଟଲରେ ପ୍ରଦର୍ଶିତ କରାଯାଉଛି । ବେଳାଭୂମି ମହୋତ୍ସବରେ କରାଯାଇଥିବା ଏହି ଷ୍ଟଲକୁ ଶହ ଶହ ଲୋକ ଲମ୍ୱା ଧାଡିରେ ଯାଇ ଏହାକୁ ଦେଖିବା ସହିତ କିପରି ମୋଟର ସାଇକେଲ ଚଲାଇବା ସମୟରେ ହେଲମେଟର ଆବଶ୍ୟକତା ରହିଛି ତାହାରି ଉପରେ ଦିଆଯାଉଥିବା ବାର୍ତ୍ତାକୁ ଦେଖୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...

'ରାଜ୍ୟରେ ସଡ଼କ ଦୁର୍ଘଟଣା ଜାତୀୟ ହାର ଠାରୁ ୩୭ ପ୍ରତିଶତରୁ ଅଧିକ': ପରିବହନ କମିଶନର

Explainer: ଓଡ଼ିଶାରେ 10 ବର୍ଷରେ 45,000 ଜୀବନ ନେଇଛି ସଡ଼କ ଦୁର୍ଘଟଣା, ଲଗାମ ପାଇଁ ବିଶେଷଜ୍ଞଙ୍କ ସମାଧାନ ସୂତ୍ର

ଗଞ୍ଜାମ ଜିଲ୍ଲା ପରିବହନ ଅଧିକାରୀ ଦେବାଶିଷ ସ୍ୱାଇଁ କହିଛନ୍ତି, "ଗାଡ଼ି ଚଲାଇବା ବେଳେ ହେଲମେଟ ନପିନ୍ଧିଲେ କ'ଣ ପରିଣାମ ହୁଏ, ତାହାକୁ ଆମେ ଲାଇଟ ଓ ସାଉଣ୍ଡ ଇଫେକ୍ଟ ମାଧ୍ୟମରେ ଲୋକମାନଙ୍କୁ ଦେଖାଉଛୁ । ଗଞ୍ଜାମରେ ହେଲମେଟ ନପିନ୍ଧିବାରୁ ଅନେକ ଲୋକ ମୃତାହତ ହେଉଛନ୍ତି । ସଚେତନ କରିବା ପାଇଁ ଏହା ଏକ ଛୋଟ ପ୍ରୟାସ । ଆଶା ରଖିଛୁ ଏହା ସଫଳ ହେବ ।"

ଇଟିଭି ଭାରତ, ବ୍ରହ୍ମପୁର